ରିପୋର୍ଟ :ମନୋଜ କୁମାର
ଉମରକୋଟ, ୧୮/୧୦(ଆମ ଅଧିକାର ): ପାର୍ବଣ ଋତୁ ରେ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଦଶହରା ବଜାର ଚଳଚଞ୍ଚଳ ହୋଇଉଠିଛି ଲଟେରୀ କୁପନ୍ ସହ । ଦୋକାନୀ ମାନେ ଗ୍ରାହକଙ୍କୁ ନିଜ ଦୋକାନ ପ୍ରତି ଆକୃଷ୍ଟ କରିବାକୁ ବିଭିନ୍ନ ସାମଗ୍ରୀ ବିକ୍ରେତାଙ୍କ ପକ୍ଷରୁ ଲୋଭନୀୟ ଅଫର ଓ ଲକି ଡ୍ର କୁପନ୍ ଦିଆଯାଉଥିବା ଦେଖାଯାଉଛି। ତେବେ ଏହି ଅଫର ଓ ଲଟେରୀ କୁପନ୍ର ବୈଧତା, ନିୟମ ଏବଂ ଟିକସ ଦିଗକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ସୂଚନାନୁସାରେ, କେତେକ ବ୍ୟବସାୟୀ ଏକ ନିର୍ଦ୍ଧିଷ୍ଟ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ କିଣା ଉପରେ ସ୍କୁଟି, ବାଇକ୍, ବୁଲେଟ୍, ସ୍ମାର୍ଟଫୋନ୍, ଫ୍ରିଜ୍, ଟିଭି, ୱାସିଂ ମେସିନ୍, ଗ୍ରାଇଣ୍ଡର ଓ କୁକର ଭଳି ବିଭିନ୍ନ ପୁରସ୍କାରର ରଖିଥିବା ଜଣାପଡିଛି । ଗ୍ରାହକଙ୍କୁ କୁପନ୍ ଦିଆଯାଇ ଲକି ଡ୍ର ମାଧ୍ୟମରେ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ଦେବାର ପ୍ରତିଶ୍ରୁତି ଦିଆଯାଉଛି ।
ଅନ୍ୟପକ୍ଷରେ, ଦଶହରା ବଜାରର ଭିଡ଼ ମଧ୍ୟରେ କେତେକ ଦୋକାନରେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ପକ୍କା ବିଲ୍ ବଦଳରେ ହାତଲେଖା ବିଲ୍ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏପରି ହେଲେ ଗ୍ରାହକ ଠକାମିର ଶିକାର ହେବା ସହ ସରକାରଙ୍କ ରାଜସ୍ୱ ଆଦାୟ ଉପରେ ମଧ୍ୟ ପ୍ରଶ୍ନ ଉଠିପାରେ। ବିଶେଷକରି ପାର୍ବଣ ସମୟରେ ବ୍ୟବସାୟିକ କାରବାର ବୃଦ୍ଧି ପାଉଥିବାରୁ ଟିକସ ଦିଗରେ ମଧ୍ୟ ଯାଞ୍ଚର ଆବଶ୍ୟକତା ରହିଛି।
ସୁନା ଓ ରୁପା ଭଳି ଦାମୀ ସାମଗ୍ରୀ ହେଉ କିମ୍ବା କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ—ଏତେ ବଡ଼ ମୂଲ୍ୟର ଅଫର ଦିଆଯାଉଥିବା ପଛରେ ବ୍ୟବସାୟିକ ହିସାବ କ’ଣ, ତାହା ନେଇ ମଧ୍ୟ ଗ୍ରାହକ ମହଲରେ କୌତୂହଳ ସୃଷ୍ଟି ହୋଇଛି। ଅଫରର ଖର୍ଚ୍ଚ କିପରି ଭରଣା କରାଯାଉଛି, ଲକି ଡ୍ରର ନିୟମ କ’ଣ ଏବଂ ଏଥିପାଇଁ କୌଣସି ଅନୁମତି କିମ୍ବା ଆଇନଗତ ପ୍ରକ୍ରିୟା ପାଳନ କରାଯାଉଛି କି ନାହିଁ—ତାହାର ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଏଭଳି ସ୍ଥିତିରେ ଦଶହରା ବଜାରରେ ଚାଲିଥିବା ଲକି ଡ୍ର ଓ ଲୋଭନୀୟ ଅଫରର ନିୟମ, ବିଲିଂ ବ୍ୟବସ୍ଥା ଏବଂ ଟିକସ ଦେୟତା ଉପରେ ସମ୍ପୃକ୍ତ ବିଭାଗର ଯାଞ୍ଚ ଆବଶ୍ୟକ ହୋଇପଡ଼ିଛି।
ଏ ସମ୍ପର୍କରେ ଉମରକୋଟ ଥାନା ଆଇଆଇସି ଯୁଗଳ ଶବରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଏ ସମ୍ପର୍କରେ ସେ ଅବଗତ ନାହାନ୍ତି ତଥା ଥାନାରେ ଏନେଇ କୌଣସି ଅଭିଯୋଗ ମଧ୍ୟ ଆସିନାହିଁ। ତେବେ ବ୍ୟବସାୟୀମାନେ ଲଟେରୀ ସମ୍ବନ୍ଧୀୟ କୌଣସି ଅନୁମତିପତ୍ର ଥାନାରୁ ନେଇନଥିବା ସେ ସ୍ପଷ୍ଟ କରିଛନ୍ତି।
ବେପରୁଆ ଭାବେ ଏଭଳି କାର୍ଯ୍ୟକଳାପ ଚାଲିଥିଲେ ଏହାକୁ କିଏ ଅନୁମତି ଦେଇଛି ଏବଂ ଏଥିରେ ସରକାରଙ୍କ ରାଜସ୍ୱ କ୍ଷତି ହେଉଛି କି ନାହିଁ, ତାହାର ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।


