ରିପୋର୍ଟ – ମନୋଜ କୁମାର
ନବରଙ୍ଗପୁର “ଆମ ଅଧିକାର “ଉମରକୋଟ, ୧୩/୧୦: ସାରା ରାଜ୍ୟରେ କଲେଜ ନିର୍ବାଚନକୁ ନେଇ କ୍ୟାମ୍ପସ୍ରେ ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ମଧ୍ୟ ଜମିବାରେ ଲାଗିଛି ଛାତ୍ର ରାଜନୀତି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସ୍ରେ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଆସନ୍ତା ୧୫ ତାରିଖ ମତଦାନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
+୩ ଛାତ୍ରସଂସଦ ସଭାପତି ପ୍ରାର୍ଥୀ ରିଙ୍କୁ ରାଜୁ କହିଛନ୍ତି ଯେ କଲେଜର ମୌଳିକ ସମସ୍ୟା ସହ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ଭଳି ପ୍ରସଙ୍ଗକୁ ସେ କଲେଜ ପ୍ରଶାସନ ନିକଟରେ ଉପସ୍ଥାପନ କରିବେ। ସମାଜର ତୃଣମୂଳ ସ୍ତରରୁ ଦିଲ୍ଲୀ ସଂସଦ ପର୍ଯ୍ୟନ୍ତ ଛାତ୍ରନେତାଙ୍କ ସ୍ୱର ପହଞ୍ଚିବା ଆବଶ୍ୟକ। ଉମରକୋଟର ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ତାଙ୍କର ନୈତିକ କର୍ତ୍ତବ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି।
ନିଜ ସପକ୍ଷରେ ଭୋଟ୍ ହାସଲ କରିବାକୁ ପ୍ରାର୍ଥୀମାନେ ସହପାଠୀଙ୍କ ନିକଟରେ ପହଞ୍ଚି ନିଜ ନିଜର ସମର୍ଥନ ଯୋଗାଡ଼ କରୁଛନ୍ତି। କେହି ବନ୍ଧୁତା ଓ ସମ୍ପର୍କକୁ ଆଧାର କରୁଥିବା ବେଳେ ଆଉ କେହି କଲେଜର ମୌଳିକ ସମସ୍ୟାର ସମାଧାନ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷାକୁ ନିଜର ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ତେବେ ପ୍ରତିଦ୍ୱନ୍ଦ୍ୱିତା ଭିତରେ ପ୍ରାର୍ଥୀଙ୍କ ମଧ୍ୟରେ ବନ୍ଧୁତା, ଭାଇଚାରା ଓ ପାରସ୍ପରିକ ସମ୍ମାନର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି।
ସେହିପରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସଭାପତି ପ୍ରାର୍ଥୀ ନିତିନ ଯାଦବ କଲେଜରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଗୁରୁତ୍ୱ ଦେଇଛନ୍ତି। ମହିଳା ଛାତ୍ରୀଙ୍କ ପାଇଁ ପୃଥକ ସୁବିଧା ସୁଯୋଗ, କ୍ୟାମ୍ପସ୍ରେ ସୁରକ୍ଷିତ ପରିବେଶ ସୃଷ୍ଟି ଏବଂ ଲିଙ୍ଗଗତ ସମସ୍ୟାର ସମାଧାନ ପାଇଁ କଲେଜ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।
ଏହି ଦୁଇ ପ୍ରାର୍ଥୀଙ୍କ ପରି ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜର ମୁଦ୍ଦା ଓ ନିର୍ବାଚନୀ ରଣନୀତି ନେଇ ମଇଦାନକୁ ଓହ୍ଲାଇଛନ୍ତି। ନିଜ ସପକ୍ଷରେ ମତଦାନ ପାଇଁ ସହପାଠୀଙ୍କୁ ଅନୁରୋଧ କରିବା ସହ କଲେଜର ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଉଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଜୋରଦାର କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣବିଧି ସମ୍ପର୍କରେ ଅବଗତ କରାଯାଇଥିବା ବେଳେ ୬୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ସେପଟେ କ୍ୟାମ୍ପସ୍ରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି।
ଏହି ନିର୍ବାଚନରେ ଛାତ୍ରଛାତ୍ରୀ କେଉଁ ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି, ତାହା ଆସନ୍ତା ୧୫ ତାରିଖର ମତଦାନ ପରେ ସ୍ପଷ୍ଟ ହେବ। ତେବେ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରେ କଲେଜର ମୌଳିକ ସମସ୍ୟାର ସମାଧାନ ଓ ଛାତ୍ରଛାତ୍ରୀଙ୍କ ଦାବି କେତେଦୂର ପ୍ରାଥମିକତା ପାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।


