ପୁରୀ (ଆମ ଅଧିକାର ) ଦୀର୍ଘ ୧୨ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଏକ ପରିବାର ଏବେ ପୁରୀ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ କଙ୍ଗାରୁ କୋର୍ଟ ବସାଇ ପରିବାରକୁ ଏକଘରିକିଆ କରିବା, ଘର ଭାଙ୍ଗିବା, ରାସ୍ତା ଅବରୋଧ କରିବା ଓ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୁରୀ ସଦର ଥାନା ଅଧୀନ ଧାଉଡିଆ ଗ୍ରାମର ମଞ୍ଜୁ ପ୍ରଧାନ।
ପୁରୀ ସଦର ବ୍ଲକ୍ ବୀରହରେକୃଷ୍ଣପୁର ଗ୍ରାମପଞ୍ଚାୟତ ଅଧୀନ ଧାଉଡିଆ ଗ୍ରାମର ମଞ୍ଜୁ ପ୍ରଧାନଙ୍କ ପରିବାର। ପ୍ରାୟ ୧୨ ବର୍ଷ ପୂର୍ବେ ମଞ୍ଜୁ ନିଜ ଦୃଷ୍ଟିହୀନ ସ୍ୱାମୀ ବିଜୟ ପ୍ରଧାନ ଓ ଚାରି ସନ୍ତାନଙ୍କ ସହ ଗାଁରେ ରହୁଥିଲେ।
ମଞ୍ଜୁଙ୍କ ଅଭିଯୋଗ ଅନୁଯାୟୀ, କୌଣସି କାରଣକୁ ନେଇ ଗ୍ରାମବାସୀ ତାଙ୍କ ପରିବାରକୁ କଙ୍ଗାରୁ କୋର୍ଟ ମାଧ୍ୟମରେ ଏକଘରିକିଆ କରିଥିଲେ। ଏପରିକି ତାଙ୍କ ଘର ଭାଙ୍ଗିବା ସହ ଘରର ସାମଗ୍ରୀ ନେଇଯାଇ ଗାଁରୁ ବିତାଡିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପରିବାରର ଭରଣପୋଷଣ ପାଇଁ ମଞ୍ଜୁ ସ୍ୱାମୀ ଓ ସନ୍ତାନମାନଙ୍କୁ ନେଇ ପୁରୀ ଆସିଥିଲେ। ଫୁଲ ବ୍ୟବସାୟ କରି ପରିବାର ଚଳାଇଥିଲେ। ପିଲାମାନେ ବଡ଼ ହେବା ପରେ ଧାଉଡିଆ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ନିଜ ବଗିଚାରେ ଏକ ଅସ୍ଥାୟୀ ଘର ତିଆରି କରିଥିଲେ।
ଘରକୁ ଯାତାୟାତ ପାଇଁ ମଝିରେ ଥିବା କେନାଲ ଉପରେ ନିଜ ଖର୍ଚ୍ଚରେ ବାଉଁଶ ପୋଲ ତିଆରି କରିଥିଲେ। ହେଲେ ଏହା ପରେ ମଧ୍ୟ ଜୁଲୁମ ଥମିନଥିବା ଅଭିଯୋଗ କରିଛନ୍ତି ମଞ୍ଜୁ।
ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅଙ୍କ ସହ ଦୁର୍ବ୍ୟବହାର ଓ ଧର୍ଷଣ ଉଦ୍ୟମ ଭଳି ସଙ୍ଗୀନ ଘଟଣା ଘଟିଥିଲା। ଏନେଇ ସେ ପୁରୀ ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ ଆଶାନୁରୂପ ନ୍ୟାୟ ମିଳିନଥିବା ତାଙ୍କ ଅଭିଯୋଗ।
ଏହାରି ମଧ୍ୟରେ ଗତ ପଣା ସଂକ୍ରାନ୍ତି ରାତିରେ ମଞ୍ଜୁଙ୍କ ପୁଅଙ୍କ ବାଇକ୍ ଚୋରି ହୋଇଥିବା ନେଇ ମଧ୍ୟ ସଦର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବାଇକ୍ ମିଳିନଥିବା ମଞ୍ଜୁ କହିଛନ୍ତି।
ପରେ ଘରକୁ ଯିବା ରାସ୍ତାରେ ଗ୍ରାମବାସୀ ପଥର ଗଦା କରି ରାସ୍ତା ଅବରୋଧ କରିଥିବା ନେଇ ମଧ୍ୟ ସେ ପୁରୀ ସଦର ଥାନାରେ ଅଭିଯୋଗ କରିଥିଲେ।
ଏନେଇ ମଞ୍ଜୁ କିଛି ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିବାବେଳେ, ସମ୍ପୃକ୍ତ ବ୍ୟକ୍ତିମାନେ ଥାନାକୁ ନଆସି ଅନ୍ୟ କିଛି ବ୍ୟକ୍ତିଙ୍କୁ ପଠାଇ ମାମଲା ଉଠାଇ ନେବା ପାଇଁ ଧମକ ଓ ଗାଳିଗୁଲଜ କରିଥିବା ମଞ୍ଜୁ ଅଭିଯୋଗ କରିଛନ୍ତି।
ଏସବୁ ଅଭିଯୋଗ ନେଇ ଗତ ସେପ୍ଟେମ୍ବର ୨୧ ତାରିଖରେ ମଞ୍ଜୁ ପ୍ରଧାନ ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ଅଭିଯୋଗ ଶୁଣିବା ପରେ ୭ ଦିନ ମଧ୍ୟରେ ଉଚିତ ନ୍ୟାୟ ଦିଆଯିବ ବୋଲି ଏସ୍ପି କାର୍ଯ୍ୟାଳୟ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଥିବା ମଞ୍ଜୁ କହିଛନ୍ତି।
ହେଲେ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ପରେ ମଧ୍ୟ ତାଙ୍କୁ ପୁନର୍ବାର ଧମକ ଦିଆଯାଇଥିବା ମଞ୍ଜୁ ଗଣମାଧ୍ୟମକୁ କହିଛନ୍ତି। ବୀରହରେକୃଷ୍ଣପୁର ସରପଞ୍ଚଙ୍କ ସ୍ୱାମୀ ହାଲୁ ଜେନା ଗତକାଲି ରାତିରେ ତାଙ୍କୁ ଧମକ ଦେଇଥିବା ମଞ୍ଜୁଙ୍କ ଅଭିଯୋଗ।
ଦୀର୍ଘ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ମଞ୍ଜୁ ପ୍ରଧାନଙ୍କ ପରିବାରକୁ ଏବେ ଏସ୍ପିଙ୍କ ପ୍ରତିଶ୍ରୁତି ଆଶା ଦେଇଛି। ତେବେ ୭ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କେତେଦୂର ଆଗକୁ ବଢ଼ୁଛି ଏବଂ ପରିବାରକୁ ପ୍ରକୃତରେ କେବେ ନ୍ୟାୟ ମିଳୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
ପୁରୀରୁ ଡଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟଆମ ଅଧିକାର


