ଢେଙ୍କାନାଳ ଜିଲ୍ଲା (ଆମ ଅଧିକାର) ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଢେଙ୍କାନାଳ ଜିଲ୍ଲା, କଙ୍କଡ଼ାହାଡ଼ ବ୍ଲକ୍ ଶାଖା ପକ୍ଷରୁ କଣ୍ଟାପାଳ ଚାରି ନମ୍ବର କଲୋନୀ ଗୋଷ୍ଠୀ କେନ୍ଦ୍ର କୋଠଘରଠାରେ ଅନୁଷ୍ଠାନର ୩ୟ ବାର୍ଷିକ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଓ ଭାଗବତ ଆଲୋଚନା ଆନନ୍ଦ ଉଲ୍ଲାସ ମଧ୍ଯରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ହରିନାମ ସଂକୀର୍ତ୍ତନ ଭିତରେ ଅତିଥିମାନଙ୍କୁ ଉତ୍ସବ ସ୍ଥାନକୁ ପାଛୋଟି ନିଆଯାଇଥିଲା । ଏହି ଉତ୍ସବରେ ପରିଷଦର ବ୍ଲକ୍ ଶାଖା ସଭାପତି ତଥା ଢେଙ୍କାନାଳ ଜିଲ୍ଲା ଶାଖାର ସମ୍ପାଦକ ଏବଂ ଓଡିଶା ଲୋକ ସେବା ଆୟୋଗର ଅବସରପ୍ରାପ୍ତ ଅନୁ ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ପରିଡ଼ା ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ବ୍ଲକ୍ ଶାଖାର ସମ୍ପାଦକ ତଥା ସମାଜସେବୀ ଏବଂ ଅଧିବକ୍ତା ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ମୁଖ୍ଯ ଅତିଥି ରୂପେ ଯୋଗ ଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ କଣ୍ଟାପାଳ ମହିମା ଆଶ୍ରମର ବରିଷ୍ଠ ସନ୍ନ୍ଯାସୀ ବାବା ଦୟାନିଧି ଦାସ । ଆଞ୍ଚଳିକ ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା “ହରେକୃଷ୍ଣ ମହାମନ୍ତ୍ର” ପରିବେଷଣ ସହ ଶଙ୍ଖ, ଘଣ୍ଟ, ମୃଦଙ୍ଗ, କରତାଳ, ହରିବୋଲ, ହୁଳହୁଳି ଧ୍ୱନି ଭିତରେ ଅତିବଡ଼ୀଙ୍କ ତୈଳ ଚିତ୍ର ଓ ଶ୍ରୀମଦ୍ଭାଗବତ ମହାପୁରାଣ ଗ୍ରନ୍ଥରେ ପୁଷ୍ପାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମସ୍ତ ଅତିଥିଙ୍କ ଗହଣରେ ଉତ୍ସବ ଉଦ୍ଘାଟିତ ହୋଇଥିଲା । ପରିଷଦର ଢେଙ୍କାନାଳ ଜିଲ୍ଲା ଉପ-ସଭାପତି ଶ୍ରୀମତୀ ପ୍ରଭାତି ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ଉଦ୍ଘାଟକ ବାବା ଦୟାନିଧି ଦାସ ଅତିବଡୀ ଜଗନ୍ନାଥ ଦାସଙ୍କ ବିଷୟରେ ସୂଚନା ଦେଇ ମାଆଙ୍କ ପାଇଁ ଓଡି଼ଆ ଭାଗବତ ରଚିତ ହୋଇଥିବାରୁ ଏହି ଭାଗବତ ପଠନରେ ଆମର ମାତୃଶକ୍ତିଙ୍କର ଅଧିକ ସଂପୃକ୍ତି ଉପରେ ଗୁରୁତ୍ବ ଆରୋପ କରିଥିଲେ । ଆଜିର ଯୁବ ସମାଜ ମଦ୍ଯ-ମାତ୍ସର୍ଯ୍ଯଠାରୁ ଦୂରେଇ ରହି ଏବଂ ମୋବାଇଲ୍ ଫୋନ୍ ପାଖରୁ କିଛି ସମୟ କାଟି ଭାଗବତ ସମେତ ବିଭିନ୍ନ ଆଧ୍ୟାତ୍ମିକ ଗ୍ରନ୍ଥ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ନିଜେ ମଧ୍ଯ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଣ୍ଟାପାଳ ଚାରି ନମ୍ବର କଲୋନୀର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ପଦ୍ମ ଚରଣ ବେହେରା, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅମିୟ ପଟ୍ଟନାୟକ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିମଳ ବିଶ୍ବାଳ ଭାଗବତ ପାଠର ମହିମା ସମ୍ପର୍କରେ ବକ୍ତବ୍ଯ ରଖିବା ସହ ଏଥିପାଇଁ ସାହିତ୍ଯ ପରିଷଦର ଭୂମିକାକୁ ପ୍ରଶଂସା କରିଥିଲେ । ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ କଥାବାଚିକା ଶ୍ରୀମତୀ ସଂଯୋଦୟା ନନ୍ଦ ସୁଲଳିତ କଣ୍ଠରେ ଭାଗବତ ଆବୃତ୍ତି ଭିତରେ ଜଗନ୍ନାଥ ଦାସଙ୍କୁ ରାଧାଙ୍କର ଅବତାର ବୋଲି ଉଲ୍ଲେଖ କରିଥିଲେ ଏବଂ ଭାଗବତ ପାଠର ମୂଲ୍ଯବୋଧ, ଭାଗବତରେ ବିଜ୍ଞାନ, ଭାଗବତରେ ତନ-ମନ-ଧନକୁ ପବିତ୍ର କରିବାର ଶକ୍ତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଯୁବ ସାହିତ୍ୟିକ ଶ୍ରୀଯୁକ୍ତ ମଳୟ କୁମାର ପରିଡ଼ା ସତ୍ ଜୀବନ ଯାପନ ସମ୍ପର୍କରେ ସ୍ବରଚିତ କବିତା ପାଠ କରିଥିଲେ ।
ମୁଖ୍ଯ ବକ୍ତା ତଥା ସ୍ବନାମଧନ୍ଯ କଥାବାଚକ ପଣ୍ଡିତ ଦିବାକର ନନ୍ଦ ଭାଗବତ ଟୁଙ୍ଗୀ ଓ ଭାଗବତ ପାଠର ଉପାଦେୟତା ବିଷୟରେ ଆଲୋକପାତ କରିବା ସହ ନିଜର ସ୍ବଭାବ ସୁଲଭ ଢଙ୍ଗରେ ଭାଗବତ ମହାପୁରାଣରୁ ଧୁନ୍ଧୁକାରୀ ଓ ଗୋକର୍ଣ୍ଣ ଉପାଖ୍ୟାନ, ଅଜାମିଳ ଉପାଖ୍ୟାନ, ହରିନାମ ପ୍ରେମରେ ସିକ୍ତ ଆଦର୍ଶ ଗୃହସ୍ଥ ଜୀବନ ଏବଂ ନାମ ସଂକୀର୍ତ୍ତନର ମାହାତ୍ମ୍ଯ ସମ୍ପର୍କରେ ସୁନ୍ଦର ଭାବରେ ବୁଝାଇ ଦେଇଥିଲେ । ଏତଦ୍ ବ୍ୟତୀତ କଣ୍ଟାପାଳ ଗ୍ରାମରେ ଆଗାମୀ କାର୍ତ୍ତିକ ମାସରେ କମ୍ ଖର୍ଚ୍ଚରେ ଏକ ତିନିଦିନିଆ ଭାଗବତ ସତ୍ ସଙ୍ଗର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।
ଉତ୍ସବର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପରିଡ଼ା ସାହିତ୍ୟ ପରିଷଦର ଢେଙ୍କାନାଳ ଜିଲ୍ଲା ସଭାପତି ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ଅସୁସ୍ଥତା ବଶତଃ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିବାରୁ ତାଙ୍କର ବାର୍ତ୍ତା ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଏବଂ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ମହିମା, ଭାଗବତ ଟୁଙ୍ଗିର ଭୂମିକା ଓ ବିଭିନ୍ନ ଭାଗବତ ବାଣୀର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସଭାପତି ଓ ଅତିଥିମାନେ କଙ୍କଡାହାଡ ବ୍ଲକ୍ ଚୂନରଗୋଡି ଗ୍ରାମର କୀର୍ତ୍ତନ ମଣ୍ଡଳୀକୁ ଭାଗବତ ମହାପୁରାଣ ଗ୍ରନ୍ଥ ପ୍ରଦାନ କରିଥଲେ ।
ଶ୍ରୀଯୁକ୍ତ ପଦ୍ମ ଚରଣ ବେହେରା ଉପସ୍ଥିତ ତଥା ଅନୁପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଶାନ୍ତିପାଠ କଲାପରେ ସଭା ସାଙ୍ଗ କରାଯାଇଥିଲା। ମହିମା ଆଶ୍ରମରେ ବାବା ଦୟାନିଧି ଦାସଙ୍କ ପକ୍ଷରୁ ସମସ୍ତଙ୍କ ପାଇଁ ସମୂହ ପ୍ରସାଦ ସେବନର ବ୍ଯବସ୍ଥା ହୋଇଥିଲା । ପୁରୀ ଜିଲ୍ଲା ଡେଲାଙ୍ଗ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଅଧିକାର।


