Homeଗଞ୍ଜାମବାତ୍ୟା ‘ଅର୍ଣ୍ଣବ’ ପରେ ଚିକିଟୀରେ ଜଳପ୍ରଳୟର କରୁଣ ଚିତ୍ର ବିପନ୍ନଙ୍କ ପାଖରେ ପହଞ୍ଚିଲା ବିଜେଡି ପ୍ରତିନିଧି...

ବାତ୍ୟା ‘ଅର୍ଣ୍ଣବ’ ପରେ ଚିକିଟୀରେ ଜଳପ୍ରଳୟର କରୁଣ ଚିତ୍ର ବିପନ୍ନଙ୍କ ପାଖରେ ପହଞ୍ଚିଲା ବିଜେଡି ପ୍ରତିନିଧି ଦଳ l

ଚିକିଟୀ,= ଆମ ଅଧିକାର) :- ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଚାଲିଯାଇଛି ସତ, ହେଲେ ପଛରେ ଛାଡ଼ିଯାଇଛି ଦୁଃଖ, ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିର କରୁଣ ଚିତ୍ର। ବାତ୍ୟା ପ୍ରଭାବରେ ଚିକିଟୀ ଅଞ୍ଚଳରେ ରେକର୍ଡ ୩୦୯.୨ ମିଲିମିଟର ପ୍ରବଳ ବର୍ଷା ସାଙ୍ଗକୁ ବାଘଲଟି ଜଳଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ ଯୋଗୁଁ ସମଗ୍ର ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ନଦୀନାଳ ଫୁଲି ଗାଁ ଗଣ୍ଡାରେ ପାଣି ପଶିବା ସହ ବହୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ହଜାର ହଜାର ହେକ୍ଟର ଧାନ ଓ ପନିପରିବା ଚାଷ ଜଳମଗ୍ନ ହୋଇ ନଷ୍ଟ ହେବାକୁ ବସିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।

ଚିଲାଡ଼ି, ମଇସାନପୁର, ଆମୁଣ୍ଡି, ବଡ଼ବରଙ୍ଗ, ପାରସମ୍ବା, ଭୀମପୁର, ବଡ଼ବାଡ଼, ଚାନ୍ଦପୁର, ନୂଆପଡ଼ା, ଲାଳାମେଣ୍ଟା, ସୁରଳ, କଇଠା, କତୁରୁ, ସୁନାପୁର, ବଡ଼ଚନ୍ଦନବାଡ଼, ସାନଚନ୍ଦନବାଡ଼ ଓ ରାମେୟାପାଟଣା ଭଳି ତଳିଆ ଓ ଉପକୂଳ ଗ୍ରାମ ଗୁରୁତର ଜଳବନ୍ଦୀ ହୋଇଥିଲେ। ତେବେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ପାଣି କମିବା ସହ ସ୍ଥିତିରେ ସୁଧାର ଆସିଛି। କତୁରୁ ନୂଆଗାଁରେ ବନ୍ୟାଜଳ ସହ ସମୁଦ୍ରର ଲୁଣାପାଣି ମାଡ଼ିଯିବାରୁ ବ୍ୟାପକ ଚାଷଜମି ନଷ୍ଟ ହୋଇଛି। ସୁନାପୁର ପଞ୍ଚାୟତର କୃପାନିଧିପେଣ୍ଠରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଜମିବାରୁ ୫୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇଥିଲେ। ବର୍ତ୍ତମାନ ପାଣି ଛାଡ଼ିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ଅନ୍ୟପକ୍ଷରେ ପାଟି ସୁନାପୁରରେ ଫସଲ ନଷ୍ଟ ହୋଇଥିବା ବେଳେ ଅନନ୍ତ ନାରାୟଣପୁର ଓ ସୁନାପୁର ଅଞ୍ଚଳର ମତ୍ସ୍ୟଜୀବୀଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କାର ଡଙ୍ଗା ଓ ଜାଲ ଭାସିଯାଇଛି।

ବାତ୍ୟା ଓ ବନ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ କ୍ଷୟକ୍ଷତିର ସମୀକ୍ଷା କରି ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ। ଏପଟେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିଛି।

ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ବିଡିଓ ବିବେକାନନ୍ଦ ମିଶ୍ର ଓ ତହସିଲଦାର ବିଶ୍ୱରଞ୍ଜନ କହଁର ସୁନାପୁର ପଞ୍ଚାୟତର କୃପାନିଧିପେଣ୍ଠରେ ପହଞ୍ଚି ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ଚୂଡ଼ା, ଗୁଡ଼ ଓ ବିସ୍କୁଟ ଆଦି ରିଲିଫ୍ ସାମଗ୍ରୀ ପ୍ରଦାନ କରିଥିଲେ। ଏପରିକି ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ବସି ଏକାଠି ଭୋଜନ କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ସେହିପରି ପାରସମ୍ବା ଓ ଖରଖରିଆ ଅଞ୍ଚଳରେ ମଧ୍ୟ ରିଲିଫ୍ ବଣ୍ଟନ କରାଯାଇଛି।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗଞ୍ଜାମ ଗସ୍ତରେ ଆସି ଚିକିଟୀ ଓ ପାତ୍ରପୁର ବ୍ଲକ୍‌ର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ନେତୃତ୍ୱରେ ଏହି ଦଳରେ ବରିଷ୍ଠ ନେତା ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସିପାତ୍ର, ଚିନ୍ମୟ ସାହୁ, ରଞ୍ଜିତା ସାହୁ, ସଂଘମିତ୍ରା ଦଳେଇ, ପୂର୍ବତନ ମନ୍ତ୍ରୀ ଉଷା ଦେବୀ ଓ ଚିକିଟୀ ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ପ୍ରମୁଖ ସାମିଲ ଥିଲେ।

ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଓ ଅଭିଯୋଗ ଶୁଣିଥିଲେ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗରେ ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିରୋଧୀ ଦଳ ନେତାଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟରୁ ଚିକିଟୀ ଧୀରେ ଧୀରେ ମୁକୁଳୁଥିବା ବେଳେ ଚାଷୀ ଓ ମତ୍ସ୍ୟଜୀବୀଙ୍କ କ୍ଷୟକ୍ଷତିର ଉଚିତ ଆକଳନ ସହ ତୁରନ୍ତ ସହାୟତା ପ୍ରଦାନ ଏବେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବି ପାଲଟିଛି।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments