ଚିକିଟି (ଆମ ଅଧିକାର )ପ୍ରଭାବିତଙ୍କ ସମସ୍ୟା ଅନୁଧ୍ୟାନ, ବିଧାନସଭାରେ ଉପସ୍ଥାପନ ପାଇଁ ପ୍ରତିଶ୍ରୁତି ସହ ଶୁଖିଲା ଖାଦ୍ୟ ବଣ୍ଟନ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ରେ ପ୍ରଭାବିତ ଚିକିଟୀ ବ୍ଲକର ସୁନପୁର ଗ୍ରାମରେ ପହଞ୍ଚିଲା ରାଜ୍ୟ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା, ଦୁର୍ଦ୍ଦଶା ଓ ଏହାର ସମାଧାନ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଟିମ୍ର ସଦସ୍ୟମାନେ।
ସ୍ଥାନୀୟ ନେତା ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ଜଗନ୍ନାଥ ପଟ୍ଟନାୟକ, ସିନାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ପୂର୍ବତନ ବିଧାୟକ ତ୍ରିନାଥ ବେହେରା ଓ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।
ଟିମ୍ର ସଦସ୍ୟମାନେ ସୁନପୁର ମିନି ସାହି ଓ ରେଡକ୍ରସ ବିଲ୍ଡିଂ ନିକଟରେ ବାତ୍ୟା ପ୍ରଭାବିତ ପରିବାରଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପ୍ରଭାବିତ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କ ସମସ୍ୟାଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରି ଉଚିତ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଟିମ୍ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଏହି ଅବସରରେ ବାତ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଟିମ୍ରେ ଅଶୋକ ପଟ୍ଟନାୟକ, ଚିକିଟୀ ବ୍ଲକ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡା, ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ପ୍ରଧାନ ଓ କ୍ଷମା ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ବାତ୍ୟା ବିପର୍ଯ୍ୟୟରେ ଅସହାୟ ହୋଇପଡ଼ିଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ସହ ସହାୟତାର ହାତ ବଢ଼ାଇବା କଂଗ୍ରେସ ଟିମ୍ର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


