ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ରାସ୍ତା ଓ ସ୍ପିଲୱେ ମରାମତି କାର୍ଯ୍ୟ ଜୋରଦାର।
ଚିକିଟୀ=(ଆମ ଅଧିକାର ):-ପୁଣି ପ୍ରବଳ ବର୍ଷା ଆଶଙ୍କା! ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବା ଯୋଗୁଁ ଆସନ୍ତା ନଭେମ୍ବର ୨ରୁ ୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନେଇ ବାଘଲଟି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାହୁଦା ନଦୀର ନିମ୍ନ ଅବବାହିକାରେ ରହୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୧୦୧ ମିଟର ନିର୍ଦ୍ଧାରିତ ସର୍ବୋଚ୍ଚ ଜଳସ୍ତର ଛୁଇଁବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ବାହୁଦା ନଦୀକୁ ଜଳ ନିଷ୍କାସନ କରାଯାଇପାରେ। ତେଣୁ ନଦୀକୂଳିଆ ଗ୍ରାମବାସୀଙ୍କୁ ନଦୀକୁ ନଯିବା, ଗୃହପାଳିତ ପଶୁଙ୍କୁ ନଦୀ ମଧ୍ୟକୁ ନଛାଡ଼ିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଜଳସେଚନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ଅନ୍ୟପଟେ, ବାତ୍ୟା ‘ଅର୍ଣ୍ଣବ’ରେ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ଓ ସ୍ପିଲୱେର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଜାମସାହି, ଲିମିଗାଁ, ନୂଆଗଡ଼ ସ୍ପିଲୱେ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଗର୍ତ୍ତ ଓ ଖାଇର ମରାମତି କରାଯାଉଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ର ସୂଚନା ଦେଇଛନ୍ତି।
ବର୍ଷା ଓ ଜଳ ନିଷ୍କାସନକୁ ନେଇ ନଦୀକୂଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ସତର୍କତା ଓ ସୁରକ୍ଷା ଉପରେ ଏବେ ପ୍ରଶାସନର ନଜର ରହିଥିବା ଜଣାପଡିଛି।


