ଗଞ୍ଜାମ (ଆମ ଅଧିକାର)ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର,ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ଚିକିଟୀ : ଆସନ୍ନ ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଚିକିଟୀ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଶୁକ୍ରବାର ବ୍ଲକ ସଭାଗୃହରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ତହସିଲଦାର ବିଶ୍ୱ ରଞ୍ଜନ କହଁର, ବିଡ଼ିଓ ବିବେକାନନ୍ଦ ମିଶ୍ର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗଦେଇ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପ୍ରଭାବ ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବିଶେଷକରି ବାହୁଦା ନଦୀର ଜଳସ୍ତର ବୃଦ୍ଧି ଓ ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ନଜରରେ ରଖି କଳିଙ୍ଗଦଳା, କୃଷ୍ଣପୁର, ମାଇସାନପୁର ଓ ଖରଖରିଆ ଭଳି ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଗୁଆ ପ୍ରସ୍ତୁତ ରଖିବା ସହ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ନଦୀକୁ ନଯିବା, ଆନିକଟ ଉପରେ ଯାତାୟାତ ନକରିବା ଏବଂ ବିପଦପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଲାଗି ଗ୍ରାମାଞ୍ଚଳରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ସହାୟତା ଯୋଗାଇଦେବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ମଧ୍ୟ ସକ୍ରିୟ ରଖାଯାଇଛି।
ପୂର୍ବ ବନ୍ୟାର ଅନୁଭୂତିକୁ ଆଧାର କରି ଏଥର ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ଜନସାଧାରଣ ଆତଙ୍କିତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ଓ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।


